ମାର୍ଚ୍ଚ -୨୦୨୧ ନିମନ୍ତେ ଚୟନ କରାଯାଇଥିବା ହିତାଧିକାରୀ ମାନଙ୍କ ବିବରଣୀ
ହିତାଧିକାରୀ ନଂ-୧
ନାମ:-ବଜ୍ରସେନ ବରଡ଼ (୨୯ ବର୍ଷ)
ପିତା:-୰ ଗୌରହରି ବରଡ଼
ଠିକଣା:- ରାଣୀପଡ଼ା, ପୋଲସରା,ଗଞ୍ଜାମ ।
ବୃତ୍ତି :- ରାଜମିସ୍ତ୍ରୀ
ତା: ୧୨.୧୦.୨୦୨୦ ରିଖ ରେ ଏକ ଘର ତିଆରି କାମ ସାରି ତଳକୁ ଓହ୍ଲାଇବା ସମୟରେ ପାଦ ଖସିଯିବାରୁ ପ୍ରାୟ ୨୦ ଫୁଟ ଉଚ୍ଚତାରୁ ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ ଅମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏବଂ ପରେ ଭୂବନେଶ୍ଵର ସ୍ଥିତ AIIMS କୁ ନିଆ ଯାଇଥିଲା । ସେଠାରେ ତାଙ୍କର ମେରୁଦଣ୍ଡରେ ଅସ୍ତ୍ରୋପଚାର କରାଯାଇଥିଲା । ବର୍ତ୍ତମାନ ତାଙ୍କର ସମସ୍ତ ଅଙ୍ଗ ( ବେକ ଠାରୁ ପାଦ ପର୍ଯ୍ୟନ୍ତ ) ନିଷ୍କ୍ରିୟ ହୋଇ ଯାଇଛି । ଏମିତିକି, ସେ କେତେବେଳେ ପରିଶ୍ରା ଏବଂ ମଳ ତ୍ୟାଗ କରିବେ ଜାଣିପାରନ୍ତି ନାହିଁ ତେଣୁ ତାଙ୍କୁ ଡାଇପର ପିନ୍ଧାଯାଏ । ବର୍ତ୍ତମାନ ତାଙ୍କୁ ଓଲଟପୁର ଠାରେ ଫିଜିଓଥେରାପି ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଙ୍କ ଏଭଳି ସ୍ଥିତିରେ ପରିବାରର ଅବସ୍ଥା ସହଜରେ ଅନୁମେୟ ।
ଯଦିଓ COVID କଟକଣା ହେତୁ ଓଲଟପୁର ଠାରେ ପ୍ରତ୍ୟେକ୍ଷ ଭାବେ ଶ୍ରୀ ବଜ୍ରସେନ ବରଡ଼ ଙ୍କୁ ସାକ୍ଷାତ କରିବା ଟା ଆମ୍ଭ CARE FOUNDATION ର ସଦସ୍ୟ ମାନଙ୍କୁ ଅସମ୍ଭବ ହୋଇଥିଲା ତଥାପି ସେଠାରେ ଶ୍ରୀ ବରଡ଼ ଙ୍କ ସ୍ତ୍ରୀ ଓ ସାନ ଭାଇ ଙ୍କୁ ଭେଟି ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବୁଝିବା ସହ ତାଙ୍କୁ ସହଯୋଗ ରାଶି ୧୦,୦୦୦/-(ଦଶହଜାର ଟଙ୍କା) ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ ।
ହିତାଧିକାରୀ ନଂ-୨
ନାମ:-ଆଲୋକ ପ୍ରଧାନ(୧୯ ବର୍ଷ )
ପିତା:-ଶ୍ରୀ ବିଚିତ୍ର ପ୍ରଧାନ
ଠିକଣା:- କୁମାର ପାଣି, ଶେରଗଡ଼, ଗଞ୍ଜାମ ।
ଶେରଗଡ଼ ଠାରୁ ପ୍ରାୟ ୫ କି.ମି. ଦୂରରେ ଅବସ୍ଥିତ କୁମାର ପାଣି ଗ୍ରାମରେ ବସବାସ କରନ୍ତି ଶ୍ରୀ ବିଚିତ୍ର ପ୍ରଧାନ ଙ୍କ ପରିବାର । ସେ ଜଣେ କ୍ଷୁଦ୍ର ଚାଷୀ । ସେ ନିଜର ଅଳ୍ପ ଜମିକୁ ଚାଷ କରିବା ସହ ମୁଲିଆ ଭଳି ଅନ୍ୟର କାମ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ବଡ଼ ପୁଅ ଆଲୋକ ପ୍ରଧାନ +୩ ପ୍ରଥମ ବର୍ଷ ର ଛାତ୍ର ଅଟନ୍ତି । ଏକ ବର୍ଷ ପୂର୍ବେ ଦିନେ ଆଲୋକ ଙ୍କ ଅଣ୍ଟା ପାଖ ମେରୁଦଣ୍ଡରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ଏକ ସାଧାରଣ ଯନ୍ତ୍ରଣା ଭାବି ତାଙ୍କୁ ପାରାସୀଟାମଲ ଓ ପେନ କିଲର ସେବନ କରିବାକୁ ଦିଆଯାଇଥିଲା । କିନ୍ତୁ ଏମିତି ଯନ୍ତ୍ରଣା ଦୀର୍ଘ ଦୁଇ ମାସ କାଳ ଲାଗି ରହିବାରୁ ତାଙ୍କୁ ବ୍ରହ୍ମପୁର MKCG କୁ ନିଆଯାଇଥିଲା । ସେଠାରେ ମଧ୍ୟ କିଛି ଉପସମ ନମିଳିବାରୁ ତାଙ୍କୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ବୋନ ଟ୍ୟୁମର ହୋଇଛି ଜାଣି ତାଙ୍କୁ ଭୁବନେଶ୍ବର ସ୍ଥିତ AIIMS ରେ ଗତ ନଭେମ୍ବର-୨୦୨୦ ଠାରୁ ଚିକିତ୍ସା କରାଯାଉଛି ।
ପାଖାପାଖି ୧୪ ମାସ ହେବ ଶ୍ରୀ ପ୍ରଧାନ ପୁଅ ର ଯନ୍ତ୍ରଣା ଦେଖି ଧୈର୍ଯ୍ୟ ହରା ହୋଇ ପଡ଼ିଲେଣି । ସେ କେଉଁଠିକୁ କାମକୁ ନଯାଇ ପାରି କେବଳ ପୁଅ ର ପାଖେ ପାଖେ ରହି ତା’ର ସେବା କରୁଛନ୍ତି । ପରିବାରର ଆୟର ପନ୍ଥା ବନ୍ଦ ହୋଇସାରିଲାଣି । ଇତ୍ୟବସରରେ ସେ ଅନେକ ଟଙ୍କା ଧାର ଆଣି ପୁଅର ଚିକିତ୍ସା ରେ ବ୍ୟୟ କରୁଛନ୍ତି । ଏଭଳି ଏକ ଖବର ପାଇ ଆମ୍ଭ CARE FOUNDATION ର କିଛି ସଦସ୍ୟ ଶ୍ରୀ ପ୍ରଧାନ ଙ୍କ ଘରେ ପହଞ୍ଚିଥିଲେ ଏବଂ ଆର୍ଥିକ ସହଯୋଗ ରାଶି ୧୦,୦୦୦/-(ଦଶହଜାର ଟଙ୍କା) ପ୍ରଦାନ ପ୍ରଦାନ ପୂର୍ବକ ଆଲୋକ ଙ୍କ ସ୍ଵାସ୍ଥ୍ୟାବସ୍ଥା ବୁଝିଥିଲେ । ସାହାଯ୍ୟ ରାଶି ପାଇବା ପରେ ଶ୍ରୀ ପ୍ରଧାନ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ । ସେଠାକୁ ଯାଇଥିବା ସଦସ୍ୟ ଙ୍କ ଅନୁସାରେ ଆଲୋକ ଙ୍କ ଯନ୍ତ୍ରଣା ବାସ୍ତବିକ ଅସହ୍ୟ ଥିଲା ।
ହିତାଧିକାରୀ ନଂ-୩
ନାମ:-ଜସ୍ମିନ ଜେନା (୯ ବର୍ଷ)
ପିତା:-୰ ବୁଲୁ ଜେନା
ଠିକଣା:- ଜିଲୁଣ୍ଡା, ପୋଲସରା,ଗଞ୍ଜାମ ।
ପୋଲସରା ଠାରୁ ପ୍ରାୟ ୩ କି.ମି. ଦୂରରେ ଅବସ୍ଥିତ ଏକ କ୍ଷୁଦ୍ର ଗ୍ରାମ ଜିଲୁଣ୍ଡା ରେ ବସବାସ କରନ୍ତି ଜସ୍ମିନ ଙ୍କ ପରିବାର । ପରିବାରରେ ରୁହନ୍ତି ଜସ୍ମିନ, ତାଙ୍କ ମାଆ ବନିତା ଜେନା ଓ ତାଙ୍କ ସାନ ଭାଇ ରୋଶନ ଜେନା । ଆଜକୁ ପ୍ରାୟ ପାଞ୍ଚ-ଛଅ ବର୍ଷ ତଳେ ଜସ୍ମିନ ଙ୍କ ବାପା ବୁଲୁ ଜେନା ଙ୍କ ଦେହାନ୍ତ ହୋଇ ସାରିଛି । ଏପରି ପରିସ୍ଥିତିରେ ବନିତା ଜେନା ଦିନ ମଜୁରୀ କରି ନିଜର ପରିବାର ପ୍ରତିପୋଷଣ କରିଆସୁଥାଆନ୍ତି । ପ୍ରାୟ ଦୁଇ ବର୍ଷ ତଳେ ହଠାତ୍ ଝିଅ ଜସ୍ମିନ ଙ୍କର ଦେହ ଅସୁସ୍ଥ ହୁଏ , ପ୍ରଥମେ ପୋଲସରା ପ୍ରାଥମିକ ଚିକିତ୍ସାଳୟ ଓ ତା’ ପରେ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରାଯାଏ । ସେଠାରେ ପରୀକ୍ଷା ରିପୋର୍ଟ ରୁ ଜଣାଯାଏ ଜସ୍ମିନ “ଥାଲାସେମିଆ” ରୋଗରେ ଆକ୍ରାନ୍ତ । ଡାକ୍ତରଙ୍କ କହିବା ଅନୁସାରେ ପ୍ରତିମାସରେ ଜସ୍ମିନ ଙ୍କୁ ପ୍ରାୟ ଦୁଇ ବୋତଲ ରକ୍ତ ନିହାତି ଦରକାର । ଜସ୍ମିନ ଙ୍କ ମାଆ, ସ୍ଵାମୀ ଙ୍କ ଅକାଳ ବିୟୋଗ ରେ ଭାରାକ୍ରାନ୍ତ ହୋଇ ମଧ୍ୟ ସେ ଛାଡ଼ି ଯାଇଥିବା ପରିବାରକୁ ଚଳାଇ ଆସୁଥିବା ବେଳେ ଜସ୍ମିନ ଙ୍କ ଏଭଳି ସ୍ଵାସ୍ଥ୍ୟାବସ୍ଥା ତାଙ୍କୁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ଆହୁରି ଏକ ବଡ଼ ଦୁଖଃ ର ପାହାଡ଼ ମୁଣ୍ଡ ଉପରେ ଲଦି ହେଇଯାଇଛି । ତଥାପି ସେ ଧୈର୍ଯ୍ୟହରା ନହୋଇ ଆଜି ପର୍ଯ୍ୟନ୍ତ ପ୍ରତି ମାସରେ ଝିଅ କୁ ବ୍ରହ୍ମପୁର ମେଡ଼ିକାଲ କୁ ନେଇ ରକ୍ତ ଦେଇ ଆସୁଛନ୍ତି ।
ଏପରି ଏକ ଖବର ପାଇ ଆମ୍ଭ CARE FOUNDATION ର ସଦସ୍ୟ ମାନେ ଜସ୍ମିନ ଙ୍କୁ ସାକ୍ଷାତ କରି ତାଙ୍କୁ ସହଯୋଗ ରାଶି ୨୭୦୦/- (ଦୁଇ ହଜାର ସାତଶହ ଟଙ୍କା) ପ୍ରଦାନ କରିଥିଲେ। ପ୍ରକାଶ ଥାଉକି, ଜସ୍ମିନ ଙ୍କ ପରିବାରର ଆର୍ଥିକ ଅବସ୍ଥା ଓ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଙ୍କୁ ବିଚାରକୁ ନେଇ ଆମ୍ଭ CARE FOUNDATION ର କୋର କମିଟି ସଦସ୍ୟଙ୍କ ନିଷ୍ପତ୍ତି ପ୍ରକାରେ ଜସ୍ମିନ ଙ୍କୁ ଆମ୍ଭ CARE FOUNDATION ର ପୋଷ୍ୟ ଭାବେ ଗ୍ରହଣ ପୂର୍ବକ ପ୍ରତି ମାସରେ ତାଙ୍କର ରକ୍ତ ଗ୍ରହଣ ସମ୍ପର୍କିତ ସମସ୍ତ ଖର୍ଚ୍ଚ ବହନ କରାଯିବ । ଏହିଭଳି ଏକ ଉତ୍ତମ ନିଷ୍ପତ୍ତି ସମସ୍ତ ସଦସ୍ୟଙ୍କ ହୃଦୟ ସ୍ପର୍ଶ କରିଥିବ ନିଶ୍ଚୟ ।
ଏହି ମାସ ଅର୍ଥାତ୍ ମାର୍ଚ୍ଚ-୨୦୨୧ ପାଇଁ ଉପରୋକ୍ତ ୩ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ତାଙ୍କୁ ଆର୍ଥିକ ସହାୟତାର ହାତବଢାଇ ଥିବାରୁ CARE FOUNDATION ର ସମସ୍ତ ସଦସ୍ୟ ଙ୍କ ନିରୋଗ କାମନା ପୂର୍ବକ ସମସ୍ତ ସଦସ୍ୟ ଙ୍କ ଉତ୍ତୋରତ୍ତର ଉନ୍ନତି ନିମନ୍ତେ ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା ।
॥ ଜୟ ହିନ୍ଦ୍ ॥
Comments
Post a Comment